Manasija mana mohana
ମନସିଜ ମନମୋହନ
Text
Ghoṣā
ମନସିଜ ମନମୋହନ ଘନଶ୍ୟାମ ସୁନ୍ଦର ରେ ସଜନୀ ହେମବରନୀ ପ୍ରେମରେ ତୋର ନିତି ଜରଜର ରେ ସଜନୀ
1
ସ୍ଫୁଟ ଚମ୍ପକ ବଲ୍ଲୀକି ସେ ଯେ ଦୂରରୁ ବିଲୋକି ଉଠି ଆସୁ ଆସୁ ତନୁଯାକ ହେଉ ଥିଲା ଥର ଥର ରେ ସଜନୀ
2
ନାଗକେଶର କୁଞ୍ଜରେ ତୁ ପହୁଡ଼ିବା ଶେଯରେ ବସି ରାଧେ ରାଧେ ବୋଲି ଗୀତ ଗାଉ ଥିଲେ ଧୀର ଧୀର ରେ ସଜନୀ
3
ଶୁଣି ହଂସଜା ବନରେ ରାଜହଂସ ନିଃସ୍ୱନରେ ତୋର ହଂସକ ପରି କଂସ ବଇରୀ ମଣି ତରତର ରେ ସଜନୀ
4
ଦେଖ କେତକୀ ଦଳରେ ଲେଖି ଲେଖି ମୋ କରରେ ଦେଉ ଦେଉ ନୟନ କଲେ ଥନଥନ ନୀରେ ଧର ଧର ରେ ସଜନୀ
5
ଗୁଣି ଗୁଣି ଗୁଣଗଣକୁ ତୋର ସୁନ୍ଦରପଣକୁ ଗୋପାଳକୃଷ୍ଣର ପୁରତରେ କହୁ ଥିଲେ ବାର ବାର ରେ ସଜନୀ