Chhaila bara chhamure padili
ଛଇଳବର ଛାମୁରେ ପଡ଼ିଲି
Text
Ghoṣā
ଛଇଳବର ଛାମୁରେ ପଡ଼ିଲି ମା ଛନ୍ଦିହେଲା ପଦଯୁଗ ତୋତେ ଲୋଡ଼ିଲି ମା
1
ଆଗେ ଗଲା ଇନ୍ଦୁରେଖା ପଛେ ରହିଲା ବିଶାଖା ଏକା ଲାଜ ଜଳଧିରେ ମୁଁ ବୁଡ଼ିଲି ମା
2
ଦମଦମ ହେଲା ଛାତି ଖସିଗଲା ଗୋ ମୋ ଧୃତି କହିବାର ଭାରତୀ ମୁଁ ହୁଡ଼ିଲି ମା
3
ରୋମାଞ୍ଚିତ ହୋଇଗଲି ଛୁଆଇଁ ଦେଉଁ ମୁରଲୀ ହସି ଦନ୍ତେ ଦନ୍ତବାସ ଭିଡ଼ିଲି ମା
4
ଥରି ଥରି ପ୍ରାଣମିତ ପାଣିକି କୋରକୀକୃତ କରି କେତେ ଥର ଶିରେ ଯୋଡ଼ିଲି ମା
5
ଧନ ଜନ ଗଉରବ ଗୁରୁଜନ ଭାଷା ଭାବ କୁଳାଚାର ଧରମକୁ ଏଡ଼ିଲି ମା
6
ଗୋପାଳକୃଷ୍ଣ ଭାଷିଲା ହେଟି କୁଟିଳା ଆସିଲା ବୋଲି ଗଲେ ଏଣିକି ବାହୁଡ଼ିଲି ମା