Chandranisa re
ଚନ୍ଦ୍ରନିଶା ରେ
Text
Ghoṣā
ଚନ୍ଦ୍ରନିଶା ରେ ଦେଲା ସୁନ୍ଦରୀମଣି ମହେନ୍ଦ୍ରଭୂତି ମୋରେ
1
ଫୁଲବନେ କେଳିସର କୂଳେ ନବ ସଙ୍କେତ କଙ୍କେଳିମୂଳେ ଶେଯ ସାଜି ନାନା ପୁଷ୍ପଦଳେ ବସିଥିଲି ସେ ରମ୍ଭୋରୁ ସମ୍ଭୋଗ ଆଶାରେ
2
ଏ ସମୟେ ମୋ ଜୀବନଧନ ଘେନି ଘନ ସର୍ବାଙ୍ଗ ଚନ୍ଦନ ତେଜି ବାଜିବା ମଣ୍ଡନମାନ ବିଜେ କଲା ମଲ୍ଲୀଗଭା ଭୂଷିତ ଖୋଷାରେ
3
ଶଙ୍ଖକଣ୍ଠୀକି ମୁଁ ଦେଖିକରି ରଙ୍କ ରତନ ଲଭିଲା ପରି ଅଙ୍କପର୍ଯ୍ୟଙ୍କେ ବସନ୍ତେ ଧରି ଗଲା ଅଙ୍ଗ ଅନଙ୍ଗ ମର୍ଦ୍ଦିବା ଦୁର୍ଦ୍ଦଶାରେ
4
ଉରେ ଜମାଇ ଉରୋଜ କୁମ୍ଭ କରୁ କରୁ ଗାଢ଼େ ପରିରମ୍ଭ କଲି ସହସ୍ର ଚୁମ୍ବ ଆରମ୍ଭ ମନ ବଳିଲା ନାହିଁ ପୀୟୂଷ ପ୍ରଶଂସାରେ
5
ଫେଡ଼ୁ ଫେଡ଼ୁ ବାଳାବର ନୀବି ଯେତେ ଭାବ ତା କି ବରନିବି ବିବସନ କାଳେ ଯେଉଁ ଛବି ଆଖି ଦେଖିଲା କେଉଁ ଭାଗ୍ୟରୁ ଏ ରସାରେ
6
ଝୁମିଝୁମି କାମ ମଦ ଭୋଳେ ଝୁଲୁଝୁଲୁ ନାସାଭୂଷା ଲୋଳେ ଝଲଝଲ ଝଟକିଲା ବେଳେ ଝିଙ୍କିନେଲା ସ୍ୱର୍ଗସୁଖ ମାର୍ଗକୁ ସୁସାରେ
7
କହେ ଅଷ୍ଟଦୁର୍ଗ ହରିହୟ ପରସ୍ପର ପ୍ରେମ ରସମୟ ଜାତ ହେଲା ଯାହା ସେ ସମୟ ଝରଝର ଅପୂରୁବ ରସ ବରଷାରେ