Mu harili heu etiki go
ମୁଁ ହାରିଲି ହେଉ ଏତିକି ଗୋ
Text
Ghoṣā
ମୁଁ ହାରିଲି ହେଉ ଏତିକି ଗୋ ଜୁହାରିଲି ଶ୍ୟାମ ପ୍ରୀତିକି ଗୋ ଗୁହାରି କରିବି କାହା ଆଗେ କେତେ ଲୁହାରେ ବନାଇଁ ଛାତିକି ଗୋ
1
ଦେହକୁ ସମରପି ପ୍ରାଣ ତୁଲେ ସ୍ନେହକୁ ସମ୍ପାଦିବା ସିନା ଭଲେ ଏ ହଟହଟାରେ କେ ମରିବ କରି ସଙ୍ଖାଳି ବିଶ୍ୱାସଘାତୀକି ଗୋ
2
ନିୟମ କରି ନ ପାଳଇ ଯାହା କି ଅମଳଖିଆ କରଇ ତାହା ଦିଅ ମୋତେ ଗାଳି ପଛେ ମୁଁ ନ ପାରେ ପରୁଷ ପୁରୁଷ ଜାତିକି ଗୋ
3
ଦୁଆଗଲା ଶାଳୀବନେ କି ରଙ୍ଗ ସୁଆଗ ନ ଥିବା ଜନେ କି ସଙ୍ଗ ମୁଁ ଆଗ ବିବେକ ହୁଡ଼ି ହୃଦୟକୁ ସମର୍ପିଲି କାମକାତିକି ଗୋ
4
ହଟିଲା ରାଧାର ଏ କଞ୍ଜନେତ୍ର ଘଟିଲା ମୋ କର୍ମ୍ମେ ଏ ଦଶା ମାତ୍ର ଜଟିଳା ଜାଣିଲେ ସଂସାରୁ ସରିବି ପାଇ ଘୋର ଅପଖ୍ୟାତିକି ଗୋ
5
ଶତ ପଦରେ ପଦେ ନାହିଁ ସତ ସତ ପରି ହୋଇବାରୁ ପ୍ରତୀତ ଅତପଃଶୀଳା ମୁଁ ଅନୁଭବ କଲି ଏ ତପତି ଉତପତ୍ତିକି ଗୋ
6
ଶିଖଣ୍ଡଚୂଳିଆର ଗୁଣ ତୁଲେ ଏ ଖଣ୍ଡ ଅଛି ବୋଲି ଜାଣିଥିଲେ ଅଖଣ୍ଡ ବିଶ୍ୱାସ କରନ୍ତି କି ଭଲେ ଜଗଦ୍ଦେବ ଏ ଭାରତୀକି ଗୋ