Ki hela re
କି ହେଲା ରେ
Text
Ghoṣā
କି ହେଲା ରେ କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ
1
କେଳି କଦମ୍ବ ଲତାର କୋଳେ କି ଶ୍ୟାମଳତାର ତେଜ ସେ ରବିସୁତାର ତୀରେ କମ୍ପି ମୋର କଳେବର ହୋଇଗଲା ଆରପାର ଯାହାକୁ ଡରଇ ତାର ତୀରେ
2
କୁସୁମ କୋଦଣ୍ଡ କାଣ୍ଡ କେତେ କରିଥିଲା ରୁଣ୍ଡ କର୍କଶ ନୋହିବା ଭାରତୀରେ କହୁଛି ବରଜି ଲଜ୍ଜା କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି କି ଉଭା ରତିରେ
3
କି ମୋହନ ଲୀଲା ଧରି କୋଟି କଳାକର ଶିରୀ ପୂରିଛି ସେ ଶ୍ୟାମ ମୂରତିରେ କୁତ୍ସା କରେ ମୁଁ ଧାତାକୁ କାହିଁକି ସରଜି ତାକୁ ଚିରାୟୁ ରଖିଲା ଜରତୀରେ
4
କି ନୀତି କି ଜାତିଶୀଳ କି କୁଳବରତ ଫଳ ଠଉର ପାରିଲା ମୋ ମତିରେ କୋମଳତର ମୋହନ କୁଞ୍ଜକୁକ୍ଷିରୁ ନିଃସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ
5
କଲବଲ ଛଟପଟ ହୋଇ ଯାଉଛି ନିପଟ ସଂବେଶ ଅଶନ ବିରତିରେ କହଇ ଶ୍ରୀ ବାଲୁକେଶ ଶରଣ ଧରଣୀଈଶ ଏ କି ଦଣ୍ଡ ବିନା ପୀରତିରେ