Gīta

Brajaku chora asichi

ବ୍ରଜକୁ ଚୋର ଆସିଛି

Text

Ghoṣā

ବ୍ରଜକୁ ଚୋର ଆସିଛି ଘେନିନେବ ଶୁଅ ତୁନି ହୋଇ ରେ ରଙ୍କର ଧନ ମୋ ଗୋକୁଳ ଚନ୍ଦ୍ରମା ନିଶି ପାହି ନାହିଁ ରେ

1

ରାତି ଗୋଟାଯାକ ମାତିଲୁ ନାଟରେ ପଲକ ନ ପକାଇ ରେ ଗ୍ରାମ ନିଶବଦ ହେଲାନି କି ତୋତେ ନିଦ୍ରା ଆସୁ ନାହିଁ ରେ

2

କେ ଶିଖାଇ ଦେଲା ଡୋଳା ଢାଳିବାର ତାଳ ଉକୁଟାଇ ରେ ପାଦ ବଥାଇବ ପରା ଆହୁରି କି ନାଟ ଅଣ୍ଟି ନାହିଁ ରେ

3

ନିମଞ୍ଚନ ଯିବି କେତେ ଝାଳ ବହି ଗଲା କ୍ଷୁଧା ପାଇ ରେ ଆସ ଆସ ସ୍ତନ୍ୟପାନ କରାଇବି ବାବୁ କାଖିଆଇ ରେ

4

ପଶୁପେନ୍ଦ୍ର କୁଳ ପ୍ରଦୀପ ତୁ ଦେଖ ଖେଳ ଛାଡ଼ି ଦେଇ ରେ କେତେବେଳ ହେଲା ଶୟନ କଲାଣି ବଳରାମ ଯାଇ ରେ

5

ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା ହୃଦରେ ଲଗାଇ ଯେ କର୍ଣ୍ଣ ମୂଳେ ଧୀରେ ଧୀରେ କର ମାରି ଦେଲେ ପହୁଡ଼ାଇ ଯେ

6

ନିମ୍ବପର୍ଣ୍ଣ ହରିଦ୍ରା ଚୂର୍ଣ୍ଣ ଘଷନ୍ତି ଅନଳେ ପକାଇ ଯେ ଗୋପାଳକୃଷ୍ଣ କହଇ ଧୂପ ଦେଲେ ଧନିଷ୍ଠିକା ନେଇ ଯେ

Sources

Cite this record


Last updated 2026-11-01. Record as JSON