Sangini re rasa rangini re
ସଙ୍ଗିନୀ ରେ ରାସରଙ୍ଗିନୀ ରେ
Text
Ghoṣā
ସଙ୍ଗିନୀ ରେ ରାସରଙ୍ଗିନୀ ରେ ଦୋଷ କ୍ଷମା କର ଜୀବବନ୍ଧୁ ରୁଷନା ରେ
1
ଯା କର ତୋ ପଦ ପଙ୍କଜ କିଙ୍କର ରଙ୍କରତନ ମୃଗାଙ୍କଲପନା ରେ ଶଙ୍କରଶତ୍ରୁ ନିଃଶଙ୍କରେ ଦହୁଛି ଅଙ୍କ ପର୍ଯ୍ୟଙ୍କ ମୋ ମଣ୍ଡୁ କିନା ରେ
2
ଯୋଡ଼ି ପାଣି ଜଣାଉଛି ରାମାମଣି ଧରଣୀରେ ନଖଗାର ଲେଖନା ରେ କିଣିଲା ଜନ ମୁଁ ତୋର ଆଜନମୁଁ ତଳୁ ତୋଳ ଚାରୁ ବେଣୀ ଲୋଟାନା ରେ
3
ମାନସରୁ ମାନ ସରୁ ସ୍ମର ଶରୁ ରଖ ନୂଆ ସରୁ ନୀଳବସନା ରେ ଜୀବଦା ପସରୁ ପୀୟୂଷ ହାସରୁ ଲବ ପ୍ରସରୁ ଖଞ୍ଜନ ନୟନା ରେ
4
ଗୋକୁଳ କୁଳଜା ପରିଷଦ ରାଜା ନ କଲେ କରୁଣା ମୁଁ ଜଣା ତୋ ନାଁରେ ରାଧେ ରାଧେ ବୋଲି ସୋରସୀ ସଲିଳରେ ଝାସିବାର ଶୁଣୁ ସିନା ରେ
5
ଅବନତ ହୋଇ ଧରୁ ପଦ ଦୁଇ ରାଧା ପ୍ରସନ୍ନତା କରି କଳନା ରେ ଗଲେ ନିଜ ନିଜ କୁଞ୍ଜେ ଆଳୀ ବ୍ରଜ ଗୋପାଳକୃଷ୍ଣ କରେ ଭାବନା ରେ