Gīta

Ki nama boilu tuhi go lalite

କି ନାମ ବୋଇଲୁ ତୁହି ? ଗୋ ଲଳିତେ

Text

1

ରାଧା ପଚାରନ୍ତି ସଙ୍ଗାତରେ କେ ସେ ବ୍ରଜରାଜ ସୁତ ? ଲଳିତା କହନ୍ତି ମିତଣିରେ ମୋହ ହୋଇଗଲୁ ସେ ଦିନ ଶୁଣି ତୁ ଯାହାର ମୂରଲୀ ଗୀତରେ । ପ୍ରାଣମିତ

2

ରାଧା – କି ନାମ ବୋଇଲୁ ତୁହି ଗୋ ଲଳିତେ ଲଳିତା – ପୁଣି ଶୁଣିବାକୁ ଚିତ୍ତ ବଳିଲା କି କୃଷ୍ଣ ବୋଲି ଥିଲି କହିରେ । ପ୍ରାଣମିତ

3

ରାଧା – କେ ଚିତ୍ରପଟର ଯୁବା ? ଲଳିତା – କୃଷ୍ଣ ବୈଣବିକ ଚିତ୍ର ତିନିଯାକ ଏଇ ତରୁଣ ମଘବାରେ । ପ୍ରାଣମିତ

4

ରାଧା – ବୟସ କେତେ ତାଙ୍କର ? ଲଳିତା – ନବ ତରୁଣିମା ଅବସ୍ଥା ବୟସ ହୋଇଥିବ ବାର ତେରରେ । ପ୍ରାଣମିତ

5

ରାଧା – କେଡ଼େ ଭଳି ଉଚ୍ଚ ହେବେ ? ଲଳିତା – ତୁ ତାଙ୍କ ଶ୍ରୁତିତଟକୁ ସରି ହେବୁ ଅନୁମାନୁଛି ମୁଁ ଏବେ ରେ । ପ୍ରାଣମିତ

6

ରାଧା – ବିବାହ ହୋଇଲେନି କି ? ଲଳିତା – ବଧୂ ସଧେ ହାତ ଭାଙ୍ଗି ହେଉଛନ୍ତି ଯଶୋଦା ତୋତେ ବିଲୋକିରେ । ପ୍ରାଣମିତ

7

ରାଧା – ମୋ ଆଡ଼କୁ କେଣେ ଢାଳୁ ଲଳିତା – ଯଥାଯୋଗ୍ୟ ବୋଲି ମନ ଲୋଭାଇଲା କଥାକୁ କାହିଁକି ଛଳୁରେ । ପ୍ରାଣମିତ

8

ରାଧା – ଏହି ଗୋପରେ କି ବାସ ? ଲଳିତା – ଆମ୍ଭ ଅଟ୍ଟାଳି ଆରୋହିଲେ ଦିଶୁଛି ତାଙ୍କ ସଉଧ କଳଶରେ । ପ୍ରାଣମିତ

9

ରାଧା – ଶ୍ରୀଅଙ୍ଗ କାନ୍ତି କିପରି ? ଲଳିତା – ମଜା ଇନ୍ଦ୍ର ନୀଳମଣି ଦରପଣ ପରି ଦିଶୁଛି ମାଧୁରୀରେ । ପ୍ରାଣମିତ

10

ରାଧା – କୃଶ ନା ପୁଥୁଳ ତନୁ ? ଲଳିତା – ଦେଖାଇ ଦେବି ରହିଥାଅ ଆସିବେ ଏବେ ତ ଲେଉଟି ବନୁରେ । ପ୍ରାଣମିତ

11

ରାଧା – ମୁଖ ସୁଷମା କେମନ୍ତ ? ଲଳିତା – ଲାବଣ୍ୟାମ୍ବୁଧିସମ୍ଭବ ବିଧୁ ପରି ଅଳକାବଳି ଆବୃତରେ । ପ୍ରାଣମିତ

12

ରାଧା – ଚିକୁର ଓଘ ମଞ୍ଜୁଳ ? ଲଳିତା – କାଳିନ୍ଦୀ ଜଳ କଲ୍ଲୋଳ ପରି ଦିଶେ କଳାକୁ ଉଣା କଜ୍ଜ୍ୱଳରେ । ପ୍ରାଣମିତ

13

ରାଧା – ଲଲାଟପଟର ଝଳି ? ଲଳିତା – ତିଳକ ଘେନି ହେବା ଚାହିଁ ରମାର ଧୃତିମେରୁ ଯିବ ଟଳିରେ । ପ୍ରାଣମିତ

14

ରାଧା – ଘେନିବାର କି ତିଳକ ? ଲଳିତା – ଚନ୍ଦନ ବିନ୍ଦୁ କେବେ ଗୋରଚନାର ଚିତା ଯେମନ୍ତ ସାୟକରେ । ପ୍ରାଣମିତ

15

ରାଧା – ଭୂରୁ ବିଳାସ କୀଦୃଶ ? ଲଳିତା – କଳା ଭୁଜଙ୍ଗ ଶାବକ ଖେଳା ପରି ସ୍ୱଚ୍ଛେ ହୋଇଛି ପ୍ରକାଶରେ । ପ୍ରାଣମିତ

16

ରାଧା – ହୋଇଛି ସେ କି ଆକୃତି ? ଲଳିତା – ପରଶୁ ଭଗ୍ନ କୋଦଣ୍ଡ ବେନି ଖଞ୍ଜା ହୋଇଛି ତ ସ୍ଫୂର୍ତ୍ତିରେ । ପ୍ରାଣମିତ

17

ରାଧା – ଭାଷ ଈକ୍ଷଣର ରୀତି ? ଲଳିତା – ଦର କଷାୟିତ ହୋଇ ଆଘୂର୍ଣ୍ଣିତ ଶ୍ରୁତିତଟ ଯାଏ ଗତିରେ । ପ୍ରାଣମିତ

18

ରାଧା – କିପରି ଚାହାଣୀ ଆଣି ? ଲଳିତା – ପ୍ରମତ୍ତ ନଟ ଖଞ୍ଜରୀଟ ଶୋଭାକୁ ଈଷିତିରେ ଦେବ ଜିଣିରେ । ପ୍ରାଣମିତ

19

ରାଧା – କଟାକ୍ଷ ପ୍ରାନ୍ତ କେମନ୍ତ ? ଲଳିତା – ଜଗଜ୍ଜୟ ମନମଥର ନିଶିତ ବରିଛ ମୁନ ଯେମନ୍ତରେ । ପ୍ରାଣମିତ

20

ରାଧା – ନାସାର ସଉଷ୍ଠବତା ? ଲଳିତା – ତୁଚ୍ଛ ତିଳଫୁଲ କି ତୁଳନା ହେବ ଗଢ଼ିବ ନାହିଁ ବିଧାତାରେ । ପ୍ରାଣମିତ

21

ରାଧା – କି ଭୂଷା ନାସାପୁଟରେ ? ଲଳିତା – ମୁକୁତା ବସଣୀ ରୋହିଣୀ ପରାଏ ଶୋଭୁଅଛି ମୁଖଚନ୍ଦ୍ରରେ । ପ୍ରାଣମିତ

22

ରାଧା – ଗଣ୍ଡମଣ୍ଡଳର ଦ୍ୟୁତି ? ଲଳିତା – ସ୍ମର ତମହର ଯୁବତୀ ସୃଷ୍ଟିର ଖଣ୍ଡ ଚନ୍ଦ୍ରପରି କାନ୍ତିରେ । ପ୍ରାଣମିତ

23

ରାଧା – ଶ୍ରବଣ କାହା ସଦୃଶ ? ଲଳିତା – ଜନ-ମନ-ମୃଗ ବନ୍ଦୀ କରିବାକୁ ମଦନ ଫାନ୍ଦିଛି ପାଶରେ । ପ୍ରାଣମିତ

24

ରାଧା – ଅଛି କି କି ଆଭରଣ ? ଲଳିତା – ମକରାକୃତି ନବରତ୍ନ କୁଣ୍ଡଳ ମିହିର ଦର୍ପ ଦାରଣରେ । ପ୍ରାଣମିତ

25

ରାଧା – କି ଭୂଷା ଏଥି ଉପରେ ? ଲଳିତା – ହୀରା ଗୁଣା ବର ମୁକୁତା ଝାଲର ଝଲକା ବାମ କର୍ଣ୍ଣରେ । ପ୍ରାଣମିତ

26

ରାଧା – ଓଷ୍ଠ ଦେଶର ଶୋଭନ ? ଲଳିତା – କାହାପରି ବୋଲି ଜଣାଇବି ଜବା ବଧୂଲି ଅତି ନିଊନରେ । ପ୍ରାଣମିତ

27

ରାଧା – ଦଶନ ପନ୍ତି ସୁଷମା ? ଲଳିତା – କର୍ପୂର ମଜା ମାଣିକ୍ୟ ଆବଳୀର ଛଡ଼ାଇଦେବ ଗାରିମାରେ । ପ୍ରାଣମିତ

28

ରାଧା – ଚିବୁକର ସୁମାଧାରୀ ? ଲଳିତା – ଶୁଦ୍ଧ ଚତୁର୍ଥୀ ସୁଧାଂଶୁ ପରି ଦିଶେ ଚାହିଁଦେଲେ ଝଟକରିରେ । ପ୍ରାଣମିତ

29

ରାଧା – କଣ୍ଠଦେଶ ରମଣୀୟ ? ଲଳିତା – ହରିକର ଦରାକୃତି ରେଖାତ୍ରୟ ଯୁବତୀ ସୃଷ୍ଟିର ଧ୍ୟେୟରେ । ପ୍ରାଣମିତ

30

ରାଧା – କି କି ଅଳଙ୍କାର ଅଛି ? ଲଳିତା – ରତ୍ନ ଚାପସରି ହେମର ନିଆଳୀ ସୁତା ପଦକ ଲାଗିଛିରେ । ପ୍ରାଣମିତ

31

ରାଧା – କୀଦୃଶ ବାହୁ ଯୁଗଳ ? ଲଳିତା – କରୀକରାକୃତି ପ୍ରେମରତ୍ନ କୋଷ ହୃଦ କବାଟ ଅର୍ଗଳରେ । ପ୍ରାଣମିତ

32

ରାଧା – ଅଛିଟି କି ଅଳଙ୍କାର ? ଲଳିତା – ଦିବ୍ୟରତ୍ନ ବାଜୁବନ୍ଧ ଅଙ୍ଗଦରେ ଭୂଷଣ ହୋଇଛି କରରେ । ପ୍ରାଣମିତ

33

ରାଧା – କମନୀୟ ଅଙ୍ଗୁଳିର ? ଲଳିତା – ଚମ୍ପକ କଳିତା ଆକୃତି ରତନ ମୁଦ୍ରିକାରେ ମନୋହରରେ । ପ୍ରାଣମିତ

34

ରାଧା – କାନ୍ତି ସେ କରରୁହର ? ଲଳିତା – ହୀରା ପରାଏ ଜ୍ୟୋତି ଧୀରା ଧୀରାର ବିବେକ ବନ କୁଠାରରେ । ପ୍ରାଣମିତ

35

ରାଧା – କିପରି ହୃଦୟସ୍ଥଳୀ ? ଲଳିତା – ମନମଥ କୁନ୍ଦ-ବସା-ସୁରୁଚିର ବାସବ ରତନ ଥାଳୀରେ । ପ୍ରାଣମିତ

36

ରାଧା – ହୀରାମାନ କି ଅଛି ନା ? ଲଳିତା – ଥାଉ ହାର, ସୁନାଗାର ପଦଚିହ୍ନ ଦିଶୁଚି କେଡ଼େ ଭାବନାରେ । ପ୍ରାଣମିତ

37

ରାଧା – କିପରି ଦିଶେ ଉଦର ? ଲଳିତା – ଅତୁଳ ମନ୍ଦ ତୁନ୍ଦ ନନ୍ଦ-ଶ୍ରୀକର ଲଳିତ ଅତି ସୁନ୍ଦରରେ । ପ୍ରାଣମିତ

38

ରାଧା – ଅଙ୍କୁରଲାଣି ରୋମାଳି ? ଲଳିତା – ନୀଳ ପିପୀଳିକା-ଆବଳୀ ପରାଏ ଦିଶୁଛି ଅଳପ ଝଳିରେ । ପ୍ରାଣମିତ

39

ରାଧା – ମଧ୍ୟ ହେବ କେଡ଼େ କୃଶ ? ଲଳିତା – ବେଢ଼ ମାପିଦେଲେ କେଶରୀ ପରାଏ ହେବ ଅଙ୍ଗୁଳି ଦ୍ୱାଦଶରେ । ପ୍ରାଣମିତ

40

ରାଧା – ତ୍ରିବଳୀ ନାଭି ଶୋଭନ ? ଲଳିତା – କାଳିନ୍ଦୀ ଲହରୀ ପ୍ରଫୁଲ୍ଲ ନଳିନୀ ହୋଇବ ପରା ସମାନରେ । ପ୍ରାଣମିତ

41

ରାଧା – କିପରି ଚରମ ଦେଶ ? ଲଳିତା – କାମର ଶ୍ୟାମଳ ପ୍ରଭା ସମ ଶୋଭା ଅଭିରାମର ଆଭାସରେ । ପ୍ରାଣମିତ

42

ରାଧା – କି ଭୂଷାରେ ଯେ ଶୋଭୁଛି ? ଲଳିତା – ହାରାମାନଙ୍କର କରି ପାଟଝୁମ୍ପା ସ୍ତବକମାନ ଲମ୍ୱିଛିରେ । ପ୍ରାଣମିତ

43

ରାଧା – କଟି ସୁଷମା କେମନ୍ତ ? ଲଳିତା – ଅଳପ ବିସ୍ତାର ପୀତବାସ ପରେ ରତ୍ନମେଖଳା ଖଞ୍ଜିତରେ । ପ୍ରାଣମିତ

44

ରାଧା – ଶ୍ରୋଣି ଶୋଭା କି ପ୍ରକାର ? ଲଳିତା – ନୀଳମଣି ଆଳବାଳ ପରି ଦିଶେ ତମାଳ ମହୀରୁହରେ । ପ୍ରାଣମିତ

45

ରାଧା – ଊରୁ ଯୁଗଳ ଆକାର ? ଲଳିତା – ଚିକ୍କଣ ପୃଥୁଳ ମନମଥ ଲାସ୍ୟ ରଙ୍ଗସ୍ଥଳ ପରକାରରେ । ପ୍ରାଣମିତ

46

ରାଧା – ଜାନୁଯୁଗ ସଊଷ୍ଠବ ? ଲଳିତା – ମାଧୁର୍ଯ୍ୟ ଲକ୍ଷ୍ମୀର ରୁଚିର ଆସନ ନାହିଁ ନଥିଲା ନୋହିବରେ । ପ୍ରାଣମିତ

47

ରାଧା – ଚରଣ ସୁନ୍ଦରପଣ ? ଲଳିତା – କନିଷ୍ଠାଙ୍ଗୁଷ୍ଠି ନଖକୋଣ କାନ୍ତିକି ସରି ନୋହେ ରଣରଣରେ । ପ୍ରାଣମିତ

48

ରାଧା – କି କି ଚିହ୍ନ ତହିଁ ଅଛି ? ଲଳିତା – ଧ୍ୱଜ ବଜ୍ରାଙ୍କୁଶ ଆଦି ଊନବିଂଶ ଲକ୍ଷଣ ଯାକ ପୂରିଛିରେ । ପ୍ରାଣମିତ

49

ରାଧା – ଅଙ୍ଗୁଳିର ଅଭିରାମ ? ଲଳିତା – ଅଶୋକ କଳିର ପ୍ରତିନିଧି ବିଧି ଗଢ଼ିଛି ଜାଣ ଉତ୍ତମରେ । ପ୍ରାଣମିତ

50

ରାଧା – କିମ୍ପା କର ନଖ ରୁଚି ? ଲଳିତା – ଦଶଧା ହୋଇ କୁମୁଦବନ୍ଧୁ ପ୍ରପ -ଦରେ ଶରଣ ପଶିଛିରେ । ପ୍ରାଣମିତ

51

ରାଧା – ଚରଣ ତଳର ବର୍ଣ୍ଣ ? ଲଳିତା – ଶୋଣ ନିରଜକୁ ନିଉଛାଇ ବିହି ଫିଙ୍ଗିଛି ପଙ୍କକୁ ଜାଣରେ । ପ୍ରାଣମିତ

52

ରାଧା – ଶ୍ରୀଅଙ୍ଗର ପରିମଳ ? ଲଳିତା – ସୁବାସ ଆସୁଛି ମିଶିଲା ପରାଏ ମୃଗମଦ ନୀଳୋତ୍ପଳରେ । ପ୍ରାଣମିତ

53

ରାଧା – ଥିବ ତ ପରା ନୂପୁର ? ଲଳିତା – ଚାଲି ଚାତୁଚୀକି ସମ ହୋଇଛି ସେ ଝୁମୁଝୁମୁ ବାଜିବାର ରେ । ପ୍ରାଣମିତ

54

ରାଧା – ଅବୟବର ମାର୍ଦବ ? ଲଳିତା – ନବନୀତ ମିତ୍ର ପରି ଆଭାସୁଛି ପରଶିଲେ ଜଣାଯିବରେ । ପ୍ରାଣମିତ

55

ରାଧା – ହେଉଛନ୍ତି କି କି ବେଶ ? ଲଳିତା – ନଟବର ନବ ଶିଖଣ୍ଡ ମୁକୁଟ ବେଣୀ ଶୋଭେ ପୃଷ୍ଠଦେଶରେ । ପ୍ରାଣମିତ

56

ରାଧା – ସଦା ପିନ୍ଧିବାର ବାସ ? ଲଳିତା – ନୂଆ ହରିତାଳ ଦ୍ୟୁତି ପଟ୍ଟାମ୍ବର ଲାଗି ହେବାର ବିଶେଷରେ । ପ୍ରାଣମିତ

57

ରାଧା – ଶୁଣିଛୁ କି କେବେ ଗିର ? ଲଳିତା – ନର୍ମ୍ମ ଦରହାସ ମିଶା ନବନୀତ ମୃଦୁ ସୁଧାରୁ ମଧୁରରେ । ପ୍ରାଣମିତ

58

ରାଧା – ଗମନ କାହା ପରିରେ ? ଲଳିତା – ପୁରନ୍ଦର ଗଜ ପାଇଯିବ ଲାଜ ପଡ଼ିବ ଯଦି ଆଗରେ । ପ୍ରାଣମିତ

59

ରାଧା – କେମନ୍ତଟି ସେ ଜଘାଂଳ ? ଲଳିତା – ମନରୁ ଜବ ଖେଳରେ କେ ଛୁଇଁ ତ ପାରୁନାହାନ୍ତି ଗୋପାଳରେ । ପ୍ରାଣମିତ

60

ରାଧା – ଦେଖିଛୁ କି ହସିବାର ? ଲଳିତା – ବିଲୋକିଛି ଚନ୍ଦ୍ରମଣ୍ଡଳୁ ଖସିଲା ପରାଏ ପୀୟୁଷ ଧାରରେ । ପ୍ରାଣମିତ

61

ରାଧା – ଜାଣନ୍ତି କି ସେ ଗାୟନ ? ଲଳିତା – ଶିଳା ଦ୍ରବୁଛି ସାଧ୍ୱୀର ନୀବିଗ୍ରନ୍ଥି ହେଉଛି କି ବିମୋଚନରେ । ପ୍ରାଣମିତ

62

ରାଧା – ଶୂର ପଣେ ସମର୍ଥ କି ? ଲଳିତା – କଂସଚାରୀଙ୍କୁ ନାଶିବାର ପ୍ରସଙ୍ଗ କିଛି ତୁ ଶୁଣିନାହୁଁ କି ରେ । ପ୍ରାଣମିତ

63

ରାଧା – ଭାଷ ପ୍ରଭାବ ବଳର ? ଲଳିତା – ପାଶୋରି ଦେଲୁକି ଅଙ୍ଗୁଳି ଅଗ୍ରରେ ଗିରିବର ତୋଳିବାରରେ । ପ୍ରାଣମିତ

64

ରାଧା – ବୀରପଣେ ପ୍ରବଳ କି ? ଲଳିତା – କେଶୀକି ମାରି ଆସିବା ଦିନ ବେଶ ଆଉ ଆଖି ଦେଖିବ କି ରେ । ପ୍ରାଣମିତ

65

ରାଧା – ନୃତ୍ୟ ମଧ୍ୟ ଜାଣନ୍ତି କି ? ଲଳିତା – ଯେ ଦେଖିଛି ତାର ଆଖିର ସୁକୃତ ଫଳ ପୃଥକ ଅଛି କି ରେ । ପ୍ରାଣମିତ

66

ରାଧା – ନର୍ତ୍ତନ କେତେ ବେଳରେ ? ଲଳିତା – ମୁହିଁ ଦେଖିଛି ସିନା ଧେନୁ ଚରାଇ ଯିବା ଆସିବା ବେଳରେ । ପ୍ରାଣମିତ

67

ରାଧା – ଦିଶୁଛନ୍ତି କି ସଦୃଶ ? ଲଳିତା – ମୂର୍ତ୍ତିମନ୍ତ ହେଲାପରି ମୁଁ ମଣୁଛି ନିଶ୍ଚୟ ଶୃଙ୍ଗାର ରସରେ । ପ୍ରାଣମିତ

68

ରାଧା – କହ ନାୟକ ଲକ୍ଷଣ ? ଲଳିତା – ଧୀର ଲଳିତ ପରି ଦିଶେ ବିଗ୍ରହ ରୂପ ଚିହ୍ନ ଆଚରଣରେ । ପ୍ରାଣମିତ

69

ରାଧା – ସ୍ୱଭାବ କର ବର୍ଣ୍ଣନ ? ଲଳିତା – ସାଧୁ ସୁଧୀର ଅମ୍ୱୁଧିର ଗଭୀର ପ୍ରଣୟ ଜନ ଅଧୀନରେ । ପ୍ରାଣମିତ

70

ରାଧା – କେଣେ ବୋଲାନ୍ତି ମୋହନ ? ଲଳିତା – ସଂସାର ବାହାର ସରସ ସୁନ୍ଦର ସ୍ୱରୂପ ନିତ୍ୟ ନୂତନରେ । ପ୍ରାଣମିତ

71

ରାଧା – ପ୍ରପନ୍ନେ ଦୟାଳୁ ପଣ ? ଲଳିତା – ମୁହିଁ ତୋହର ବୋଲୁଛନ୍ତି ପୁଣି ତ କରି ଆତ୍ମ ସମର୍ପଣରେ । ପ୍ରାଣମିତ

72

ରାଧା – ଦେବାର ଅର୍ଥିମାନଙ୍କୁ ? ଲଳିତା – ଇତର ଜନଙ୍କୁ ମାଗୁନାହିଁ ଆଉ ମାଗୁଛି ଯେ ଥରେ ତାଙ୍କୁରେ । ପ୍ରାଣମିତ

73

ରାଧା – ଅଛି ଆଉ କି କି ଗୁଣ ? ଲଳିତା – ବିଶ୍ୱସୃକ ସର୍ଜନରେ ଥିବା ବିଦ୍ୟା ଭାଷା ଯାକରେ ନିପୁଣରେ । ପ୍ରାଣମିତ

74

ରାଧା – କେମନ୍ତଟି ବଇଭବ ? ଲଳିତା – ଯାହାର ଜନକ ବ୍ରଜ ପୁରନ୍ଦର ମହା ଅଷ୍ଟନିଧି ଧବରେ । ପ୍ରାଣମିତ

75

ରାଧା – କରିଛନ୍ତି ସେ କି ବୃତ୍ତି ? ଲଳିତା – ଧେନୁ ଚରାଇ ଯାଉଛନ୍ତି ବନକୁ ସହଜେ ଗୋପାଳ ଜାତିରେ । ପ୍ରାଣମିତ

76

ରାଧା – କିପରି କୀର୍ତ୍ତି ପ୍ରକାଶ ? ଲଳିତା – ବିଶ୍ୱ ବିଶୋଧନୀ କଳୁଷ ଶମନୀ ପୂର୍ଣ୍ଣ ସୁଧାଂଶୁ ସଦୃଶରେ । ପ୍ରାଣମିତ

77

ରାଧା – ମଣୋହିର ଇଷ୍ଟ କି କି ? ଲଳିତା – କିଛି ଖାଉନାହିଁ ବୋଲି ତ ଯଶୋଦା ଦୁଃଖ କହୁଛନ୍ତି ଡାକିରେ । ପ୍ରାଣମିତ

78

ରାଧା – ଅଶନରେ କେଣେ ହେଳା ? ଲଳିତା – ସନ୍ତତ ବ୍ରଜଶିଶୁଙ୍କ ସଙ୍ଗେ ମନ କରିବାକୁ ଏକା ଖେଳାରେ । ପ୍ରାଣମିତ

79

ରାଧା – କହି ହେଉ କେତେ ତୋଷି ? ଲଳିତା – ସେ ତୁହି ମୋ ହୃଦେ ସ୍ଫୂର୍ତ୍ତି ହେଲା କ୍ଷଣି ଦେହ ପଡ଼ୁଛି ଉଲ୍ଲସିରେ । ପ୍ରାଣମିତ

80

ରାଧା – ଶୁଭୁଛି ଏ କି ନିସ୍ୱନ ? ଲଳିତା – ବନୁ ମୁରଲୀ ବଜାଇ ଆସୁଛନ୍ତି ସେହି ବ୍ରଜେନ୍ଦ୍ର ନନ୍ଦନରେ । ପ୍ରାଣମିତ

81

ରାଧା – ଦେଖିବା ରହି କୋଠାରେ ? ଲଳିତା – ହର୍ମ୍ୟ ଆରୋହି କର ଦେଇ ଗୋପାଳକୃଷ୍ଣ କର ପଇଠରେ । ପ୍ରାଣମିତ

Sources

Cite this record


Last updated 2026-11-01. Record as JSON