Kesara kunja sejare
କେଶର କୁଞ୍ଜ ଶେଯରେ
Text
କେଶର କୁଞ୍ଜ ଶେଯରେ ବ୍ରଜେନ୍ଦୁ ବୃନ୍ଦାଙ୍କୁ ପୁଚ୍ଛନ୍ତି ଧୀରେ ସହଚରୀ ରେ ରାଧା ବୋଲି କେ ବ୍ରଜରେ
ଶୁଣିଲା ବେଳୁ ସେ ନାମ ସୁଧା ପାନ ପରି ଲାଗୁଛି ଶର୍ମ୍ମ ସହଚରୀ ରେ ଫିଟାଇ କହ ମରମ
ଚଉଦିଗକୁ ଅନାଇଁ ବୃନ୍ଦା ମନ୍ଦ ମନ୍ଦ ହସିଲା ହୋଇ କହି ଆସୁଁ ଯେ ଅଙ୍ଗେ ପୁଲକ ପୂରଇ
ସେ ଶ୍ରୀ ବୃଷଭାନୁ ଜେମା କିଶୋରୀ ଗୋତ୍ର ନକ୍ଷତ୍ର ଚନ୍ଦ୍ରମା ରସରାଜ ହେ ରମ୍ୟ ବନ୍ଦ୍ୟ ଯା ସୁଷମା
ଜୀବ ଥିବା ଯାକ ବିହି ବିଷୟ ବରଜି ବସିଲେ କହି ରସରାଜ ହେ ଶୋଭା ଶେଷ ହେବ ନାହିଁ
ଥାଉ ମାଧୁରୀର ଧୂରି ତୁମ୍ଭେ ତା ପାଶେ ଥିଲେ ବଂଶୀଧାରୀ ରସରାଜ ହେ ଦିଶିବ ସୁନାଟା ପରି
ଅମ୍ବା ବଳମ୍ବା ରାତିରେ ତୋଷି ହେଉଥିଲେ ବସି ଗୃହରେ ସହଚରୀ ରେ ଅଶନ କଲା କାଳରେ
ଶ୍ୟାମସୁନ୍ଦରକୁ ମୋର ଏକା ରାଧିକା ଥିଲା ପଟାନ୍ତର ବୋଲୁଁ ଜନନୀ ନାମ ଶୁଣିଲି ତାହାର
କୃଷ୍ଣ କହନ୍ତି ବୟସ ଭାଷ କେତେ ହୋଇଥିବ ବରଷ ସହଚରୀ ରେ ବୋଲୁ ବୃନ୍ଦା ହସ ହସ
ହେ ନୂତନ ରଣ ରଣ ଯୌବନ ଲକ୍ଷ୍ମୀ ତା ପାଦେ ଶରଣ ରସରାଜ ହେ ହୋଇ ସାରିଲାଣି ଜାଣ
ବୟସ ଏଗାର ବାର ଭିତରେ ପରି ହେଉଛି ଗୋଚର ରସରାଜ ହେ ସେ ସାଧ୍ୱୀ ଶିରୋମଣିରେ
ବ୍ରଜବାସୀଙ୍କ ନୟନ ସମ୍ପତ୍ତି ସେ ଶ୍ରୀ କିଶୋରୀ ରଚନ ରସରାଜ ହେ ଆହା ଦିଶୁଛି ବଦନ
ଛଡ଼ାଇ ହୃଦୟ ମସୀ ଗୋଟିଏ ହୋଇଲେ କୋଟିଏ ଶଶୀ ରସରାଜ ହେ ରୁକ୍ଷ ପରି ଯିବ ଦିଶି
ପରାନନ୍ଦ ସ୍ୱରୂପିଣୀ ଘୋଟିଛି ଯା କୀର୍ତ୍ତି ଜଗତ ଶ୍ରେଣୀ ରସରାଜ ହେ ସେ ସଦ୍ଗୁଣ ଗୁଣ ଖଣି
ଦେହଳୀରେ ଗଲେ ଚାଲି ପଦାବ୍ଜ ଚିହ୍ନକୁ ଚୁମ୍ବୁଛି ଅଳି ରସରାଜ ହେ ଅଙ୍ଗମୋଦ ନୋହେ କଳି
ଶ୍ରୀ ନିଟିଳାଳକାବଳୀ କଳାମେଘ ତଳେ ରହିଲା ଭଳି ରସରାଜ ହେ ଦିଶେ ଅଚଳ ବିଜୁଳି