Gīta

Jagabandhu dayalu thau mana

ଜଗବନ୍ଧୁ ଦୟାଳୁ ଥାଉ ମନ

Text

Ghoṣā

ଜଗବନ୍ଧୁ ଦୟାଳୁ ଥାଉ ମନ କାହିଁ ପାଇଁ ଭାଳୁରେ ରହ ଉଦ୍ଧରିବେ ଏ ଜଞ୍ଜାଳୁ ରେ

1

ନିରୂପାଧି କୃପାକର ମହିମାବଧି ନୀଳାଚଳ ସୁଧାକର ନିଖିଳ ପ୍ରାଣୀ ହିତକାରୀ ତୋ ଛାର କଦନ କି ତାକୁ ଘୋର

2

ପ୍ରତିବଦାନ୍ୟେଶ ସ୍ୱରୂପ ଆର୍ଥିଙ୍କ କରୁଣା ନୃପେ ପ୍ରସନ୍ନେ ଯୁବତୀଙ୍କ କାମ ସଖାକୁହିଁ ସମ ଅଧୀନ ସ୍ୱଭକ୍ତଜନେ

3

ଦାମୋଦର ଗଲେ ନ ମାଗୁ ଯା ଦେଲେ ଶୁଣିତ ଥିବ ପୁରାଣେ ବୃଥା ହୋଇବ କପି ଜଣାଇବାର ତୁ ପ୍ରଣାମ କରି ଚରଣେ

4

କୃପାଳୁ ପଣ କେ କଳିବ ପିଆଇ ଦେଇଥିଲା ବିଷ ବକୀ ଦୋଷ ଘେନି କିସ ଦଣ୍ଡିବେ ଜନନୀଗଣରେ ଦେଲେ ଗତିକି

5

ନୃପମଣି ଗୋପି ସୀତା ପିତୃଙ୍କର ଶତ୍ରୁ କ୍ଷୟ ଆତ୍ମ ମୋକ୍ଷ କରିଛି ଯା ନାମ ମାତ୍ରକେ ସେ ପ୍ରଭୁ ହୋଇଅଛନ୍ତି ପ୍ରତ୍ୟକ୍ଷ

6

ବାରଣକର ପରିତ୍ରାଣ ଘୋଷଣ ବ୍ରହ୍ମାଣ୍ଡ ଭିତ୍ତି ଫିଟାଇ ବାହାରି ଯାଇଛି ନ କରି ସ୍ମରଣ ଦୁଃଖୀ ଦୁଃଖୀହେଉ କାହିଁପାଇଁ

7

କୁରୁସଭା ତଳେ ଡାକିବାର ବେଳେ ଯାହା ଦେଲେ ଦ୍ରୌପଦୀଙ୍କି ଆଉ ତାହା ପୁଣି ବୋଲି ମୁଁ ତା ଋଣି କହୁଅଛନ୍ତି ଯେ ଡାକି

8

ଭକ୍ତ ବନ୍ଧୁ ପଣ ଭାରତ ଯୁଦ୍ଧରେ ଭୀଷ୍ମଠାରେ ଦିଶାଇଲେ ନିୟମ ଲଙ୍ଘି ରଥରୁ ଡେଇଁ ରଥଚରଣ ଧରି ଧାଇଁଲେ

9

ଶରଣ ପଶି ବିଭୀଷଣ ଆସିଛି ବୋଲି କହୁଁ ଶ୍ରୀଛାମୁରେ ଦେଲେନି ସେତେବେଳକୁ ତାକୁ ଲଙ୍କପଦବୀ ଭୁରୁ ଲୀଳାରେ

10

ବିଧି ପଦ ସୁଖ ବୋଲି ହନୁମାନ କଲାରୁ ଅନୁମୋଦନ ବ୍ରହ୍ମା କରିବେ ରଖିଛନ୍ତି ପ୍ରଭୁ କେ ଏପରି ଜାଣିବ ମନ

11

ଧ୍ରୁବ ମନୋରଥ ପୂର୍ଣ୍ଣ କରିବାରେ ପ୍ରତ୍ୟକ୍ଷରେ ତ ଦିଶୁଛି ଚରଣ ପଙ୍କଜ ରଜରେ ପଥରେ ପଥର ନାରୀ ତରିଛି

12

ପ୍ରହର ଅର୍ଦ୍ଧକେ ଧୂଳି କଲେ ଭକ୍ତ ବଇରୀ ରାକ୍ଷସ ମେରୁ ସେ ପ୍ରହଲାଦଙ୍କ ବିପଦଠାରୁ ତ ନୁହଁଇ ତୋ ଖେଦ ଗୁରୁ

13

ଭଜନ କୀର୍ତ୍ତନ ଆତ୍ମସମର୍ପଣ ଦାସ୍ୟ ସଖ୍ୟାଭିବାଦନ ସ୍ମରଣ ପୂଜା ଶ୍ରବଣ ନବରତ୍ନ କୂଟ କରିଛନ୍ତି ଦାନ

14

ରମା ଶୁକ ବଳି ହୁନମାନାର୍ଜ୍ଜୁନ ଅକ୍ରୂର ଦୈତ୍ୟ ତନୁଜ ପୃଥୁ ପରୀକ୍ଷତ ହୋଇ ଅଳଂକୃତ ଲଭିଛନ୍ତି ପଦକଞ୍ଜ

15

ବୋଲିବୁ ମୁଁ ଦୀନ ଭଜନ ସାଧନ ନ ଜାଣଇ ଜନମରୁ ଅଜାମିଳ ଯାମଳାର୍ଜ୍ଜୁନ କି ତପ କରିଥିଲେଟି ପୂର୍ବରୁ

16

ଯା ଗୁଣାର୍ଣ୍ଣବରୁ ବିନ୍ଦୁଏ ବର୍ଣ୍ଣିଲେ ଶେଷରେ ନ ହେବ ଶେଷ କି କହିବି ତାହା ଗୋପାଳକୃଷ୍ଣ ତ ନୁହଁଇ କୀଟ ସଦୃଶ

Sources

Cite this record


Last updated 2026-11-01. Record as JSON