Syama jane mohini buti
ଶ୍ୟାମ ଜାଣେ ମୋହିନୀ ବୁଟୀ
Text
Ghoṣā
ଶ୍ୟାମ ଜାଣେ ମୋହିନୀ ବୁଟୀ ସହି ତା ନଜରେ ନ ପଡ଼ିବୁଟି ରଙ୍ଗିଆ ଭଙ୍ଗିଆ ସୁବଳସଙ୍ଗିଆ ଚନ୍ଦ୍ରା ମନ ଧନ ନେଇଛି ଲୁଟି
1
ଏ ଗୋପରେ ଯେତେ ତରୁଣୀ ଦମ୍ଭେ କେ ବା ରହିବ ପୁଣି ଶ୍ରବଣେ ତାହାର ଶୁଣି ବଂଶୀ ସ୍ୱର କଦମ୍ବ ମୂଳକୁ ଯିବ ଧପଟି
2
ତାର ଯେଉଁ ଚାହାଣୀ ଛଟା ମଦନର କାଣ୍ଡିଆ ଅଠା ତୋର ଆଖି ପକ୍ଷୀ ତହିଁ ଗଲେ ଲାଖି ଉବୁରିବୁ କେବେ ମନ୍ଦାର ଓଠୀ
3
ଦେଖିଲେ ତା ଠିଆ ଠାଣିକି ରଖି ନ ପାରିବୁ ଆଣିକି ଅଖିଳ ନାଗର ମଉଡ଼ମଣି ସେ ଯେତେବେଳେ ଯିବ ତୋ ଆଗେ ଜୁଟି
4
ସୁରସିଆ ଦରହସିଆ କୁଳବତୀ ଧୃତି ଧ୍ୱଂସିଆ ଜାଣି ବୁଝି ଧନୀ ପାହୁଣ୍ଡ ଚାଳିବୁ ସଖୀ ଗହଳେ ଲୁଚିଥିବୁଟି
5
ବିଚିତ୍ର ତା ଛଇ ଚାତୁରୀ ସତୀ ଦମ୍ଭ ଦିଏ କତୁରୀ କହେ ବନମାଳୀ ତୁ ରାଜ ଦୁଲାଳୀ ଉଠି ନ ପାରିବୁ ପଡ଼ିଲେ ଝୁଣ୍ଟି