Ghenai ambhe jete kahilu re
ଘେନାଇ ଆମ୍ଭେ ଯେତେ କହିଲୁ ରେ
Text
Ghoṣā
ଘେନାଇ ଆମ୍ଭେ ଯେତେ କହିଲୁ ରେ ଘେନିଲୁ ନାହିଁ ବାଳା ପହିଲୁ ରେ ଘୃତ ଘଟକୁ ଶିଖୀ ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ
1
ଘସ୍ରନାଥ ନନ୍ଦନା ଅନାଉଣିକି ମନା କରୁଁ ଯେ ଥାଉଁ ହଟି ଚାହିଁଲୁ ରେ ଘଟୀସରିକି କରେ ନାହିଁ କି ବିବେକରେ ମହାର୍ଣ୍ଣବରେ ଅବଗାହିଲୁରେ
2
ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳ ତୁଲେ ତାହା ପିଇଲୁ ରେ ଘୁମାଇବାର ସମ୍ଭବିଲା ନାହିଁ କି ଆମ୍ଭ ସୁଯୋଗୁଁ ସିନା ବଞ୍ଚି ଅଇଲୁରେ
3
ଘେନି ଘେନାଇ ଯାଇ କହିବ ସମଜାଇ ଘଟିଲେ ଆମ୍ଭେ ଏକ ଜୀଇଲୁ ରେ ଘଟନା ବିରହରେ ଅବଶ୍ୟ ତ ଜହରେ ତୋ ଘେନି ଆତ୍ମଘାତି ହୋଇଲୁରେ
4
ଘୋଳାରେ ପଛେ ମରୁ ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼କୁ ରହିଲୁ ରେ ଘାଣ୍ଟି ହେଉଛୁ ମାତ୍ର ଆନୀଳ ଶତପତ୍ର ନେତ୍ରା ଯା ଆମ୍ଭ ବଶ ନୋହିଲୁରେ
5
ଘନେ ଚପଳା ଲୀଳା ଚାହିଁ ଘନକୁନ୍ତଳା ତୁ କି ଏ ଅଭିଲାଷ ବହିଲୁ ରେ ଘାରି ଦେଲୁକି ରସେ ଅଷ୍ଟଦୁର୍ଗେଶ ଭାଷେ ଅବଶ୍ୟ ମୋହନକୁ ମୋହିଲୁରେ