Gīta

Aha kisora kisori rupa madhuri

ଆହା କିଶୋର କିଶୋରୀ ରୂପ ମାଧୁରୀ

Text

Ghoṣā

ଆହା କିଶୋର କିଶୋରୀ ରୂପ ମାଧୁରୀ ମନ ପ୍ରାଣ ନିଏ ହରି

1

ଘନ କୋଳେ ବିଜୁଳି ସତେ ଖେଳିଲା ଭଳି ଦିଶେ ଅପୂର୍ବ ଶୋଭା ଭୁବନ ମନୋହାରୀ (ପଡ଼ି‌) ନବୀନ ବସନ୍ତ ଆହା ମୂର୍ତ୍ତିମନ୍ତ ବାସ୍ତବ ଯେମନ୍ତ ହେଲା ଆବିର୍ଭୂତ ବର୍ଣ୍ଣି ନୁହେ ନିଧୁ ବନର ବୈଚିତ୍ର୍ୟ ବିପଣି ବାଢ଼ିଛି କି ପ୍ରକୃତି ସୁନ୍ଦରୀ

2

ଆହା ସେ ବୃନ୍ଦାବନର କୁଞ୍ଜମଞ୍ଜୁଳ ପୂରିତ ତରୁ ବଲ୍ଲରୀ । ନିଭୃତ ରାସସ୍ଥଳ ରାଧା କୃଷ୍ଣ ଯୁଗଳ ଆହା ସେ ଅପ୍ରାକୃତ ପ୍ରେମାନନ୍ଦ ଲହରୀ (ପଡ଼ି) ଯମୁନା ନଳିନ ବନର ପବନ ମଞ୍ଜୁ କାନନର ମଧୁପ ଗୁଞ୍ଜନ ଜାଈ ଜୂଈ ମଲ୍ଲୀ ମୃଦୁଳ ଶୟନ ରାଈ କୋଳେ ବିଜେ ନିଜେ ବେଣୁଧାରୀ

3

ଗୁଣୁ ଗୁଣୁ ଗୁଣୁ ସ୍ୱରେ ଭ୍ରମରପୁଞ୍ଜ ଗୁଞ୍ଜନ୍ତି ଉଚ୍ଚେ ଝଙ୍କାରି । ନାଚିଲେ ସଖୀକୁଳ ପ୍ରେମେ ହୋଇ ବିହ୍ୱଳ ଗାଇ ମଙ୍ଗଳଗୀତ ବିବିଧ ଛନ୍ଦ ଭରି (ପଡ଼ି) ବିଲୋକି ସେ ବିଭା କାହା ମନ ଲୋଭା ନୋହିବ ଗୋ କହ ଗାନ ନୃତ୍ୟ ଶୋଭା ଆଳିକୁଳ ମିଳି ଦେଲେ ହୁଳହୁଳି ସୁରେ ଗଲା ଥରି

4

ଚିନ୍ମୟ ଚିଦ୍ଘନ ରସମୟ ଶ୍ରୀକୃଷ୍ଣ ରାଧା ଆହ୍ଲାଦ ବଲ୍ଲରୀ । କୋଟି ଜନ୍ମର ପାପ ହୋଇଗଲା ନିର୍ବାପ ଦେଖି ପ୍ରଣବ ରୂପ ଜୀବ ପରମ ପରି (ପଡ଼ି) ଶ୍ୟାମଳ ଗଉର ଜ୍ୟୋତି ମନୋହର ମିଳିଲା ଯେପରି ହୋଇ ଏକାକାର ଦେଖି ଦରଶକ ହାରିଲେ ବିବେକ ଦିବସ ଯାମିନୀ ନ ପାରିଲେ ବାରି

5

ଭାବେ ଉଦ୍ଭ୍ରାନ୍ତ ତାରିଣୀ ଧନ୍ୟା ଗୋପିନୀ ଆହ୍ଲାଦ ହିଲ୍ଲୋଳେ ଖେଳି । ବ୍ରହ୍ମା ଦେବ ଶଙ୍କର ଧ୍ୟାନେ ଯେ ଅଗୋଚର ଆଜି ସେ ଉଭା ବ୍ରଜେ ନିତ୍ୟ ଲୀଳା ଆଚରି (ପଡ଼ି) ଯା ଦର୍ଶନ ଘେନି ଯୋଗୀ ମୁନି ଋଷି ନ ଲଭନ୍ତି କଳ୍ପ କଳ୍ପ ଯୋଗେ ବସି ଶ୍ରୀ ରାଧା ଗୋବିନ୍ଦ ସେବା ପ୍ରେମାନନ୍ଦ ଲଭିଲେ ଗୋପୀଏ ନିଜ ଜନ ସରି

Sources

Cite this record


Last updated 2026-11-01. Record as JSON