Gīta

Dinabandhu he hari jagannibasa

ଦୀନବନ୍ଧୁ ହେ ହରି ଜଗନ୍ନିବାସ

Text

Ghoṣā

ଦୀନବନ୍ଧୁ ହେ ହରି ଜଗନ୍ନିବାସ କାହିଁ ପାଇଁ ପ୍ରଭୋ ନିରାଶ କରୁଛ ନୁହଇ କି ଭବେ ମୁଁ ତୁମ୍ଭ ଦାସ

1

ନିଶ୍ଚିନ୍ତରେ ବସି ନାମ ଭଜିବାକୁ ପାଉ ନାହିଁ ଲବେ ମୁଁ ଅବକାଶ ଦୁଃଖ ନିବାରଣ ବାରଣ ତାରଣ ସହାୟ ନୋହିଲେ ଗଲିଟି ଜାଣ

2

ଶ୍ରୀପତି ଶ୍ରୀରଙ୍ଗ ଆହେ ଶ୍ୟାମଳାଙ୍ଗ ନ ଶୁଣିବ ଯେବେ ମୋ ଦୈନ୍ୟଭାଷ ତୁମ୍ଭ ବ୍ୟତିରେକେ ଅଛି ବା ଆଉ କେ ଜଣାଇବି ଦୁଃଖ ମୁଁ କାହା ପାଶ

3

ମାଗୁ ନାହିଁ ଧନ ଜନ ବଡ଼ପଣ ମାଗୁଛି କେବଳ ଶ୍ରୀ ବ୍ରଜେ ବାସ ସାଧୁ ସଙ୍ଗେ ଥାଇ ତବ ଗୁଣ ଗାଇ ଅବିରତ ହେଉଥିବି ଉଲ୍ଲାସ

4

ହେ ରାଧାରମଣ ଶରଣ ରକ୍ଷଣ ଅକାରଣ ନୋହୁ ମୋ ଅଭିଳାଷ ଗଲା ବେଳେ ଜୀବ ତୁଣ୍ଡ ଉଚ୍ଚାରିବ ହା ରାଧା ଗୋବିନ୍ଦ କୁଞ୍ଜ ବିଳାସ

5

ଷଡ଼ରିପୁଙ୍କର ଦାଉ ଭୟଙ୍କର ଯେ ଯା ମାର୍ଗେ ଟାଣି ଦେଖାନ୍ତି ତ୍ରାସ ଏକକୁ ଆରେକ ଦର୍ପୀ ଅତିରେକ ଜରା ବସିଛି କରିବାକୁ ଗ୍ରାସ

6

ଏ ସର୍ବ ବିପଦୁଁ ରଖ ଭକ୍ତବନ୍ଧୁ ଅନ୍ତର୍ଯ୍ୟାମୀ ନାଥ ହେ ପୀତବାସ ହଂସଜ ଢଗରେ ଆସି ମୋ ଆଗରେ ଅନ୍ତଃକାଳେ ଗଳେ ନ ଦେବେ ପାଶ

7

ଶ୍ରୀ ଗୁରୁ ପ୍ରଦତ୍ତ ଦେହ ପାଇ ନିତ୍ୟ ଧାମେ ଚଳିଯିବି ସେବା ସକାଶ ଗୋପାଳକୃଷ୍ଣର ଏ ପ୍ରାର୍ଥନା ଗିର ବ୍ୟର୍ଥ ନୋହୁ ହର ଅନ୍ତର ପ୍ରାଶ

Sources

Cite this record


Last updated 2026-11-01. Record as JSON